Thursday, August 17, 2023

Ditiya Arkakshetra
A article published in "Nitidin" on Biranchinarayan Temple, Buguda, Ganjam
Article by- Artist Stitadhi Rath

ଦ୍ୱିତୀୟ ଅର୍କକ୍ଷେତ୍ର

ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର, ବୁଗୁଡା


 

 ସ୍ଥିତଧୀ ରଥ

କଳା ଗବେଷକ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ

ମୋ-7008475795

 

ର୍କକ୍ଷେତ୍ର କହିଲେ ସାଧାରଣତଃ କୋଣାର୍କକୁ ବୁଝାଯାଏ ସୂର୍ଯ୍ୟଙ୍କର ଅନ୍ୟନାମ ଅର୍କ ହୋଇଥିବା ବେଳେ, ସୂର୍ଯ୍ୟ ଉପାସନା କ୍ଷେତ୍ରକୁ ଅର୍କକ୍ଷେତ୍ର ବୋଲି କୁହାଯାଇଥାଏ ଅଷ୍ଟମ ଶତାବ୍ଦୀର ବହୁ ପୂର୍ବରୁ ଓଡ଼ିଶାରେ ସୂର୍ଯ୍ୟ ପୂଜାର ପ୍ରଚଳନ ହୋଇଥିବା ଓଡିଶା ଇତିହାସ ପୃଷ୍ଠାରୁ ଜଣାପଡେ ୧୩୦୦ ଶତାବ୍ଦୀ ରେ ନିର୍ମିତ କୋଣାର୍କର ଭଗ୍ନ ସୂର୍ଯ୍ୟ ମନ୍ଦିରଟି ଓଡ଼ିଶାରେ ସୂର୍ଯ୍ୟ ପୂଜନ ପ୍ରଥାର ଜ୍ବଳନ୍ତ ଉଦାହରଣ ପ୍ରତ୍ନତାତ୍ତ୍ୱିକ ଖନନ ସମୟରେ ଓଡିଶା ବହୁ ପ୍ରାନ୍ତରୁ ଅନେକ ସମୟରେ ସୂର୍ଯ୍ୟ ମୂର୍ତ୍ତି ଆବିସ୍କୃତ ହୋଇ ସଂଗ୍ରହାଳୟ ମାନଙ୍କରେ ସଂଗୃହିତ ହୋଇଛି ଗଂଜାମ ଜିଲ୍ଲାର ଖଲ୍ଲିକୋଟ ସହର ନିକଟସ୍ଥ ସୁମଣ୍ଡଳ ଗ୍ରାମରୁ ପ୍ରାପ୍ତ ହୋଇଥିବା ୭୫୦ ମସିହାର ଏକ ଶିଳା ଲେଖ କୁ ଅଧ୍ୟୟନ କଲେ ଜଣାଯାଏ  ତତ୍କାଳୀନ "ଅଭୟ ବଂଶୀରାଜାମାନେ ସୂର୍ଯ୍ୟ ଦେବଙ୍କୁ ନିଜର ଇଷ୍ଟ ରୂପେ ଗ୍ରହଣ କରିଥିଲେ କୋଣାର୍କକୁ  ପ୍ରଥମ ଅର୍କକ୍ଷେତ୍ର ରୂପେ ଗ୍ରହଣ କରାଯାଇଥିବା ବେଳେ ଅନ୍ୟ ଏକ ଅର୍କକ୍ଷେତ୍ର ଲୋକ ଲୋଚନ ଆଢୁଆଳରେ ରହିଅଛି । ୧୮୨୨ ମସିହାରେ ଘୁମୁସରର ୫୭ତମ ଭଞ୍ଜବଂଶୀ ରାଜା ଶ୍ରୀକର ଭଞ୍ଜଙ୍କ ଦ୍ଵାରା ବୁଗୁଡା ଠାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଟି ଦ୍ୱିତୀୟ ଅର୍କକ୍ଷେତ୍ରର ମାନ୍ୟତା ପାଇଛି । କିମ୍ବଦନ୍ତୀ, ପ୍ରାଚୀନ କବିତା ତଥା ତାଳପତ୍ର ବଂଶାବଳୀର ତଥ୍ୟକୁ ଆଧାର କରି ଜଣାଯାଏ  ବିରଞ୍ଚିନାରାୟଣ ମନ୍ଦିରରେ ପ୍ରତିଷ୍ଠିତ ଫୁଟ ଉଚ୍ଚର ପ୍ରସ୍ତର ମୂର୍ତ୍ତିକୁ ଗଞ୍ଜାମ ଜିଲ୍ଲାର ଆସ୍କା ଭଞ୍ଜନଗର ରାସ୍ତା ମଧ୍ୟରେ ଥିବା କେଶରପଲ୍ଲୀ ଗ୍ରାମ ନିକଟସ୍ଥ ଧ୍ୱଂସପ୍ରାପ୍ତ ଦୁର୍ଗ ମାଳତୀଗଡ଼ର ମାଟି ତଳୁ ଉଦ୍ଧାର କରି ଅଣାଯାଇଥିଲା କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିରଟି ଭୁବନେଶ୍ୱର ଠାରୁ ୧୫୦ କିଲୋମିଟର ଏବଂ ଗଂଜାମ ଜିଲ୍ଲାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ବ୍ରହ୍ମପୁର ଠାରୁ ମାତ୍ର ୬୦ କିଲୋମିଟର ଦୂରତାରେ ଅବସ୍ଥିତ ।  କଳିଙ୍ଗ ଶୈଳୀ ଠାରୁ ଭିନ୍ନ ଶୈଳୀରେ ନିର୍ମିତ ଏହି ମନ୍ଦିରଟି ମଣ୍ଡପ ବା ମଠ ଶୈଳୀର ଅନ୍ତର୍ଭୂକ୍ତ । ଏହାକୁ ଧାବମାନ ରଥସଦୃଶ ନିର୍ମାଣ କରାଯାଇଅଛି । ଏକମାତ୍ର ଚକ ସହ ସାତଗୋଟି ଘୋଡା ରହିଛି ଏବଂ ସାରଥୀ ଅରୁଣ ରଥର ଗତିକୁ ପରିଚାଳନା କରୁଛନ୍ତି । ପଶ୍ଚିମକୁ ମୁଖ କରି ରହିଥିବା ଏହି ମନ୍ଦିରଟିରେ ସୂର୍ଯ୍ୟାସ୍ତ ସମୟର ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲି ରଶ୍ମୀ ମନ୍ଦିର ଗର୍ଭଗୃହରେ ସ୍ଥାପିତ ସୂର୍ଯ୍ୟଙ୍କ ପ୍ରସ୍ତର ବିଗ୍ରହର ପାଦଦେଶରେ ପଡିଥାଏ । ଏହା ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ସୁନ୍ଦର ଉଦାହରଣ । ୪୮ ଗୋଟି ସ୍ତମ୍ଭ ଦ୍ଵାରା ନିର୍ମିତ ଏହି ମନ୍ଦିରଟିର ଛାତର ନିମ୍ନ ଭାଗଟି କାଷ୍ଠ କରୁକାର୍ଯ୍ୟରେ ପରିପୂର୍ଣ । କାଷ୍ଠ କାରୁକାର୍ଯ୍ୟକୁ ସୁରକ୍ଷା ଦେବା ନିମନ୍ତେ ସମ୍ପୂର୍ଣ୍ଣ ମନ୍ଦିରର ଛାତଟିକୁ ତମ୍ବାପଟି ଦ୍ଵାରା ଆଚ୍ଛାଦିତ କରାଯାଇଅଛି । ତମ୍ବାପଟି ଉପରେ ପୋଡାମାଟିପଟି ଏବଂ ଚୂନ ସାହାଯ୍ୟରେ ମନ୍ଦିରର ଉପର ଭାଗଟିକୁ ପିଢ଼ ମନ୍ଦିର ଶୈଳୀର ଆକୃତି ଦିଆଯାଇଅଛି । ମନ୍ଦିର ଉପର ଭାଗରେ ୫ ଗୋଟି ଦଧିନଉତି ଶୋଭା ପାଉଛି । ମନ୍ଦିର ଟିକୁ ସାତଟି ଭାଗରେ ବିଭକ୍ତ କରାଯାଇଅଛି - ଭଦ୍ର, ଚନ୍ଦନ, ମଣୋହୀ, ଭଣ୍ଡାର, ଗନ୍ତାଘର, ଗର୍ଭଗୃହ ଏବଂ ରଘୁନାଥଙ୍କ ଆସ୍ଥାନ । ପ୍ରତ୍ୟେକ ବଖରାର ଛାତର ନିମ୍ନ ଭାଗରେ  ଖୋଦିତ କାଷ୍ଠ କାରୁକାର୍ଯ୍ୟରେ ପୁରାଣ ବର୍ଣିତ ଦୃଶ୍ୟବଳୀର କାହାଣୀ ସବୁ ପ୍ରତିବିମ୍ବିତ ହୋଇଛି । ଭଦ୍ର ବଖରାର ଛାତର ନିମ୍ନ ଭାଗରେ ଖୋଦିତ ୨୬ ଗୋଟି ପାଖୁଡା ବିଶିଷ୍ଟ କେଶରଯୁକ୍ତ ଖୋଲାପଦ୍ମର ନିମ୍ନମୁଖ ଦୃଶ୍ୟଟି ଅତ୍ୟନ୍ତ ମନୋରମ । ସ୍ଥାନୀୟ ଗ୍ରାମୀଣ ଭାଷାରେ ଏହାକୁ "ଫୁଲ ପଣସା" ବା "କଖାରୁଆ" କୁହନ୍ତି। ଏଥିରେ ଖୋଦିତ ହୋଇଥିବା ଗୋପୀ ଏବଂ କୃଷ୍ଣଙ୍କ ଶହସ୍ରାଧିକ ନୃତ୍ୟରତ ମୂର୍ତ୍ତି ମନମୁଗ୍ଧକର । "ଫୁଲ ପଣସା"ର ଚତୁଃକୋଣରେ ଚାରିଗୋଟି ରାହୁମୁଖା ରହିଥିବା ବେଳେ ଏହାର ଚତୁଃପାର୍ଶ୍ଵରେ ଷୋହଳଟି ଖୋଲାପଦ୍ମ ଖୋଦିତ ହୋଇଛି । ଏହାର ଉତ୍ତର ଦିଗରେ ଦଶମହାବିଦ୍ୟା, ଦକ୍ଷିଣରେ ଦଶଦିଗପାଳ ଏବଂ ପଶ୍ଚିମରେ ନବଗ୍ରହ ଖୋଦିତ ହୋଇଛନ୍ତି । ନବଗ୍ରହ ଙ୍କ ଉଭୟ ପଟରେ ଶଙ୍ଖନିଧି ଓ ପଦ୍ମ ନିଧି ସହ ରାଜଶ୍ରୀ ଶ୍ରୀକର ଭଞ୍ଜଙ୍କ ମୂର୍ତ୍ତି ଖୋଦିତ ହୋଇଛି  । ଚନ୍ଦନ ବଖରାର ଉପର ଭାଗଟି ରାମାୟଣର ଦୃଶ୍ୟରେ ପରିପୂର୍ଣ୍ଣ ହୋଇଛି । ରାମାୟଣର ବିଭିନ୍ନ ଘଟଣାବଳୀକୁ ନିଖୁଣଭାବରେ ଖୋଦନ କରାଯାଇଛି । ଗନ୍ତାଘରର କବାଟ ଦ୍ଵାରରେ ଖୋଦିତ ଗୋପୀ କୃଷ୍ଣଙ୍କର ନୃତ୍ୟଭରା ଦୃଶ୍ୟ ଦର୍ଶକଙ୍କ ମନକୁ ବାନ୍ଧି ରଖେ । ମଣୋହି ବଖରାର କବାଟ ଦ୍ଵାର ଟି ଗୋପୀ କୃଷ୍ଣଙ୍କ ସହ ବତିଶି ଗୋଟି ଖୋଲା ପଦ୍ମ ରେ ପରିପୂର୍ଣ । ଗର୍ଭ ଗୃହରେ ପ୍ରବେଶପଟ ଟି କାଷ୍ଠ କାରୁକାର୍ଯ୍ୟରେ ପରିପୂର୍ଣ୍ଣ । ଏଥିରେ ଦଶ ଅବତାର, ଦଶ ଦିଗପାଳ, ଅଷ୍ଟବସୁ, ମାଠର, ଦଣ୍ଡପିଙ୍ଗଳ, ତୋରଣ ଲକ୍ଷ୍ମୀ, ରାମନୁଯାଚାର୍ଯ୍ୟ ଓ ମାଧବାଚାର୍ଯ୍ୟ ଖୋଦିତ ହୋଇଛନ୍ତି । ଏହି ପ୍ରବେଶ ପଥର କବାଟରେ ପଞ୍ଚ ମହର୍ଷିଙ୍କ ସହ , ଲକ୍ଷ୍ମୀ ନାରାୟଣ , ହୟଗ୍ରୀବ, ଶିବ, ପାର୍ବତୀ, ବ୍ରହ୍ମା, ଅନନ୍ତ ଶୟନ, ହରିହରଙ୍କ ଭଳି ଅନେକ ଦୃଶ୍ୟ ଖୋଦିତ ହୋଇଛି । ମନ୍ଦିରର ପଶ୍ଚିମ ପଟ କାନ୍ଥରେ ଥିବା ଏକମାତ୍ର ଝରକା "କୃଷ୍ଣ ବଳରାମ ପଞ୍ଜରା" ଟି ଛୁଞ୍ଚି ମୁନର କାରୁକାର୍ଯ୍ୟ ଭଳି ଦୃଶ୍ୟମାନ ହୁଏ । କୃଷ୍ଣ ବଳରାମଙ୍କ ତ୍ରିଭଙ୍ଗୀ ଠାଣି ସହ ଗୋପବାଳକ ଏବଂ ଗାଈ ବାଛୁରୀ ଙ୍କ ଖୋଦନ ଅତି ଉଚ୍ଚକୋଟୀର । ବଉଳ ମାଳିଆ ପ୍ରସ୍ତର ନିର୍ମିତ ମନ୍ଦିରର ୪୮ ସ୍ତମ୍ଭ ମଧ୍ୟରୁ ୧୬ ଗୋଟି କାନ୍ଥ ମଧ୍ୟରେ ରହିଥିବା  ବେଳେ ଚାରିପଟ ବାରଣ୍ଡାରେ ୩୨ ଗୋଟି ସ୍ତମ୍ଭ ରହିଛି ଏହି ପ୍ରତ୍ୟେକ ସ୍ତମ୍ଭକୁ କାରୁକାର୍ଯ୍ୟ ପୂର୍ଣ୍ଣ କାଷ୍ଠ ମସ୍ତକ ଦ୍ଵାରା ସଜିତ କରାଯାଇଅଛି। ପ୍ରତ୍ୟେକ ସ୍ତମ୍ଭରୁ ଛାତ ଉପରକୁ ଗୋଟିଏ ଗୋଟିଏ କାଷ୍ଠର ଭାର ନିର୍ମିତ ହୋଇଛି, ଯେଉଁଥିରେ ଗଜବିଡାଳ, ହରିଣ, ସାଧୁ, ଅଳସୀ କନ୍ୟା, ଡାଳମାଳିନୀ, ସିଂହ ଏବଂ ବାଘର ପ୍ରତିକୃତି ଖୋଦିତ ହୋଇଛି ଛାତର ଚତୁଃ ପାର୍ଶ୍ୱ ରେ ଶହସ୍ରାଧିକ ଦେବଦେବୀଙ୍କ ମୂର୍ତ୍ତି ଖୋଦିତ ହୋଇ ମନ୍ଦିରର ସୌନ୍ଦର୍ଯ୍ୟ ବର୍ଦ୍ଧିତ କରୁଛି ମନ୍ଦିର କାନ୍ଥ ଗୁଡିକ ଭିତିଚିତ୍ର ରେ ଅଳଙ୍କୃତ ହୋଇ ମନ୍ଦିରର ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରୁଛି । ଉତ୍ତର ପଟ କାନ୍ଥରେ ପୁରୀ ଶଙ୍ଖକ୍ଷେତ୍ରର ମାନଚିତ୍ର, ଦକ୍ଷିଣରେ ଅଙ୍କିତ ରାମରାବଣଙ୍କ ମହାସମରର ଦୃଶ୍ୟ ତତ୍କାଳୀନ ଘୁମୁସର ଚିତ୍ରକର ମାନଙ୍କର ଦକ୍ଷତାର ପରିଚୟ ପ୍ରଦାନ କରେ । ମନ୍ଦିରର ପଛ ପାର୍ଶ୍ୱ ତଥା ପୂର୍ବପଟରେ ରହିଥିବା ଚିତ୍ର ମଧ୍ୟରେ ମାତା ସୀତାଙ୍କୁ ପ୍ରଭୁ ଶ୍ରୀରାମଙ୍କ ଗେରୁଟୀକା ପ୍ରଦାନ, ଶ୍ରୀରାମ ଓ ଲକ୍ଷ୍ମଣ ଙ୍କ ଯୁଦ୍ଧ ପରିଚାଳନା, ବାନର ମାନଙ୍କ ସେତୁବନ୍ଧ ନିମନ୍ତେ ପ୍ରସ୍ତର ବୋହୁଥିବା ଦୃଶ୍ୟ, ସପ୍ତଶାଳ ବିଧ, ଦୁନ୍ଦରୀ ଅସ୍ତି, ଶିବଧନୁ ଭଗ୍ନ , ସିତାସ୍ୱୟଂବର, ପୁତ୍ରିଷ୍ଟି ଯଜ୍ଞ, ହୟଗ୍ରୀବ, ଜଗନ୍ନାଥ ଆଦି ପ୍ରଧାନ । ଓଡିଶୀ ଶୈଳୀରେ ଅଙ୍କିତ ଏହି ଭିତିଚିତ୍ର ସବୁକୁ ପରିଲକ୍ଷିତ କରି ବିରଞ୍ଚିନାରାୟଣ ମନ୍ଦିରକୁ ଓଡ଼ିଶାର ଭିତିଚିତ୍ରର ଗନ୍ତାଘର କହିଲେ ଅତିଉକ୍ତି ହେବନାହିଁ । ସୁଉଚ୍ଚ ପ୍ରାଚୀରର ପରିବେଷ୍ଟିନି ମଧ୍ୟରେ ରହିଥିବା ଏହି ମନ୍ଦିର ମୁଖ୍ୟ ପ୍ରବେଶ ଦ୍ଵାର ପଶ୍ଚିମ ପଟରେ ରହିଥିବାବେଳେ ପ୍ରବେଶ ପଥର ସାମନାରେ ୨ ୦ ଫୁଟ ଉଚ୍ଚ ବଉଳମାଳିଆ ପ୍ରସ୍ତର ନିର୍ମିତ ଅରୁଣ ସ୍ତମ୍ଭ ରହିଛି । ମନ୍ଦିର ପରିବେଶ ମଧ୍ୟରେ ଏକ ସୁନ୍ଦର ବାମ୍ଫି ରହିଛି  ଯାହାର ପାଣିକୁ ଠାକୁରଙ୍କ ପ୍ରତ୍ୟେକ କର୍ମରେ ନିୟୋଜିତ ହେଉଛି । ମାଳତୀଗଡ଼ରୁ ଅଣାଯାଇ ଥିବା ମୂର୍ତ୍ତି ସହ ଗର୍ଭଗୃହରେ କାଷ୍ଠ ଏବଂ ପିତଳର ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ଙ୍କ ଅବିକଳ ପ୍ରତିକୃତି ନିର୍ମିତ ହୋଇ ସ୍ଥାନ ପାଇଛି ଯାହା ଜାନିଯାତ୍ରା ସମୟରେ ନଗର ପରିଭ୍ରମଣ ନିମନ୍ତେ ବ୍ୟବହୃତ ହୁଏ । ମନ୍ଦିରରେ ପ୍ରତ୍ୟେହ ବାଳଭୋଗ ଓ ରାଜଭୋଗ ଦ୍ଵାରା ଠାକୁରଙ୍କୁ ଆପ୍ୟାୟିତ କରାଯାଏ ଏବଂ ପ୍ରତି ଗୁରୁବାର ତଥା ରବିବାର ଦିନ ସ୍ୱତନ୍ତ୍ର ଖିରିପୁଳି ଭୋଗ ଅର୍ପଣ ହୁଏ । ପର୍ବପର୍ବାଣି ମଧ୍ୟରେ ତିଳସପ୍ତମୀ ଏବଂ ଶାମ୍ବ ଦଶମୀ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣଙ୍କର ମହାପର୍ବ ଅଟେ ।  ମନ୍ଦିର କର୍ତ୍ତୃପକ୍ଷ ଙ୍କ ଦ୍ଵାରା ଏହା ଧୂମଧାମରେ ପାଳିତ ହୁଏ। ତିଳ ସପ୍ତମୀ ରେ ମହାପ୍ରଭୁ ବିରଞ୍ଚିନାରାୟଣ ରଥରେ ବସି ନଗର ପରିଭ୍ରମଣ କରନ୍ତି । ପୁରାଣରେ ବର୍ଣ୍ଣିତ ତଥ୍ୟ କୁ ଅଧ୍ୟୟନ କଲେ ଜଣାଯାଏ ଚର୍ମ ରୋଗରୁ ମୁକ୍ତିପାଇବା ନିମନ୍ତେ ଲୋକମାନେ ସୂର୍ଯ୍ୟଙ୍କୁ କରିଥାନ୍ତି । ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ପିତୃ ଅଭିଶପ୍ତ ହୋଇ ଦୁରାରୋଗ୍ୟ 'କୁଷ୍ଠ' କୁ ଭୋଗୁଥିଲେ । ପରବର୍ତ୍ତୀ ସମୟରେ ପିତାଙ୍କ ନିର୍ଦ୍ଦେଶରେ ସୂର୍ଯ୍ୟଙ୍କୁ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ଆଜିର ସମୟରେ ମଧ୍ୟ ଲୋକମାନେ ଚର୍ମ ରୋଗର ନିରାକରଣ ନିମନ୍ତେ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣଙ୍କୁ ମାନସିକ ପୂଜା ଅର୍ପଣ କରୁଛନ୍ତି । ଏଠି ମାନସିକ କରି ଅନେକ ରୋଗୀ ରୋଗ ମୁକ୍ତ ହୋଇଥିବା ପ୍ରମାଣ ମିଳିଛି । ରୋଗରୁ ମୁକ୍ତି ପାଇଥିବା ବ୍ୟକ୍ତି ଠାକୁରଙ୍କୁ ବାଇଗଣ, ବିଛଣା, ଛିଟକନା, ବିରିଯାଇ, ଚାଉଳ, ଦ୍ଵାରା ଆପ୍ୟାୟିତ କରନ୍ତି  । ରାଜଶ୍ରୀ ଶ୍ରୀକର ଭଞ୍ଜ ନିଜର ଶେଷ ସମୟରେ ମନ୍ଦିରରେ ନିଜକୁ ଉପାସକ ପରିଗଣିତ କରି ମଠ ପରମ୍ପରା ସୃଷ୍ଟିକରି ଗୋବିନ୍ଦ ଦାଶ ମହୋଦୟଙ୍କୁ ମଠାଧିଶ ଭାବେ ଗାଦି ଅର୍ପଣ କରିଥିଲେ । ଏହାପରେ ରାମମୋହନ ଦାଶ, ରଘୁବର ରାମନୁଜ ଦାଶ ଗାଦି ସମ୍ଭାଳି ମଠକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ବର୍ତ୍ତମାନ ସମୟ ରେ ମହନ୍ତ ଭକ୍ତ ରାମ ଦାଶ ମଠରେ ମଠାଧୀଶ ରୂପେ ପରିଚାଳନା ଭାର ହାତକୁ ନେଇଛନ୍ତି । ସମସାମୟିକ ସ୍ଥିତିରେ ମନ୍ଦିରର ପରିଚାଳନା ନିମନ୍ତେ ଆର୍ଥିକ ସଙ୍କଟ  ବାଧା ଉପୁଜୁଥିବା ବେଳେ ଭୋଗରାଗ ଏବଂ ପର୍ବପର୍ବାଣୀର ପରିଚାଳନା କଷ୍ଟସାଧ୍ୟ ହୋଇପଡୁଛି । ବର୍ତ୍ତମାନ ସମୟରେ  ସରକାରଙ୍କ ଦ୍ଵାରା ବିଭିନ୍ନ ମନ୍ଦିର ମାନଙ୍କ ନବୀନରଣ ଏକ ସୁପଦକ୍ଷେପ ହୋଇଥିବାବେଳେ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ଏଥିରୁ ବାଦ ପଡିଛି । ଯଦି ସରକାର ଏହା ଉପରେ ବିଚାର କରି ଉପଯୁକ୍ତ ପଦକ୍ଷେପ ନିଅନ୍ତେ ତାହେଲେ ନିଶ୍ଚିତ ରୂପରେ ଆମର ଗୌରବମୟ କଳାକୃତିର ମୂକସାକ୍ଷୀ କାଷ୍ଠ କଳାର ବିସ୍ମୟ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରଟି ଆଉ କିଛି କାଳ ନିମନ୍ତେ ସୁରକ୍ଷିତ ହୋଇପାରନ୍ତା ।













 

No comments:

Post a Comment