କାଷ୍ଠ କୋଣାର୍କ
ଶ୍ରୀ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର
ସ୍ଥିତଧୀ ରଥ
କଳା ଗବେଷକ
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ
ମୋ-7008475795
କୋଣାର୍କ କହିଲେ ସମସ୍ତଙ୍କ ମନରେ ଭରିଯାଏ ପ୍ରସ୍ତରରେ ଖୋଦିତ ସୁନ୍ଦର ଏକ ଭଗ୍ନ ମନ୍ଦିର ଦୃଶ୍ୟ । ହାତୀ, ଘୋଡ଼ା, ସିଂହ ସହିତ ସ୍ତ୍ରୀ ପୁରୁଷଙ୍କ ଯୁଗଳବନ୍ଦୀର ରମଣୀୟ ଦୃଶ୍ୟ । କିନ୍ତୁ “କାଷ୍ଠ କୋଣାର୍କ” କହିଲେ ପ୍ରାୟ ସମସ୍ତଙ୍କ ମନ ଭିତରେ ସୃଷ୍ଟି ହୁଏ ପ୍ରଶ୍ନବାଚୀ ଚିହ୍ନଟିଏ ! ଗଞ୍ଜାମ ର ଏକ କ୍ଷୁଦ୍ର ସହର ବୁଗୁଡା ଠାରେ ରହିଅଛି ଏକ ସୂର୍ଯ୍ୟ ମନ୍ଦିର, ଯାହା ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ନାମରେ ଖ୍ୟାତ । ଏହି ମନ୍ଦିରରେ ନିର୍ମିତ କାଷ୍ଠ କାରୁକାର୍ଯ୍ୟ ଅତୀବ ପ୍ରାଣବନ୍ତ ତେଣୁ ଏହାକୁ କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିରର ପ୍ରସ୍ତର କାରୁକାର୍ଯ୍ୟ ସହ ତୁଳନା କରାଯାଇ “କାଷ୍ଠ କୋଣାର୍କ” ର ଆଖ୍ୟା ଦିଆଯାଇଛି । ଏହି ମନ୍ଦିର ଟି ରାଜ୍ୟର ରାଜଧାନୀ ଠାରୁ ଦକ୍ଷିଣ କୁ 150 କିଲୋମିଟର ଏବଂ ଗଂଜାମ ଜିଲ୍ଲାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ରେଶମ ସହର ବ୍ରହ୍ମପୁର ଠାରୁ ମାତ୍ର 60 କିଲୋମିଟର ଦୂରରେ ଅବସ୍ଥିତ। ସୂର୍ଯ୍ୟ ହେଉଛନ୍ତି
ସକଳ ଶକ୍ତି ର ଆଧାର । ପ୍ରାଚୀନ କାଳରୁ ଆଦିବାସୀ ଜନଜାତି ଠାରୁ ସୌରପୂଜନ ର ପ୍ରଥା ଚଳି ଆସୁଛି ।
କୋଣାର୍କ ଠାରେ ଅବସ୍ଥିତ 1300 ଶତାବ୍ଦୀ ର ଭଗ୍ନ ସୂର୍ଯ୍ୟ ମନ୍ଦିରକୁ କିଛି ଐତିହାସିକ ଓଡ଼ିଶାର
ପ୍ରଥମ ସୌରଉପାସନା ପୀଠ ବୋଲି ଦାବି କରିଆସୁଛନ୍ତି। କିନ୍ତୁ ଓଡିଶା ଇତିହାସକୁ ଅଧ୍ୟୟନ କଲେ ଜଣାଯାଏ
ଅଷ୍ଟମ ଶତାବ୍ଦୀର ବହୁ ପୂର୍ବରୁ ଓଡ଼ିଶାରେ ସୌର ଉପାସନାର ପ୍ରଥା ପ୍ରଚଳିତ ଥିଲା । ଗଞ୍ଜାମ ଜିଲ୍ଲାର
ଖଲ୍ଲିକୋଟ ନିକଟସ୍ଥ ସୁମଣ୍ଡଳ ଠାରୁ ପ୍ରାପ୍ତ ହୋଇଥିବା ଏକ ତାମ୍ର ଶାସନ ଦାନପତ୍ର କୁ ଅନୁଧ୍ୟାନ
କଲେ ଜଣାଯାଏ ତତ୍କାଳୀନ ସୋମବଂଶୀ ରାଜାମାନେ ସୌର ଉପାସକ ଥିଲେ । ଆଜିର ବୁଗୁଡା ଅତୀତରେ ଘୁମୁସର
ରାଜ୍ୟର ଅଂଶ ବିଶେଷ ଥିଲା । ଘୁମୁସରକୁ ଭଞ୍ଜବଂଶୀୟ ରାଜାମାନେ ଶାସନ କରୁଥିଲେ । ଘୁମୁସର ରାଜବଂଶୀ
ମାନେ ବୈଷ୍ଣବୀ ଥିଲେ। ସେମାନେ ଶ୍ରୀ ରଘୁନାଥ ଙ୍କୁ
ଇଷ୍ଟ ଦେବ ବୋଲି ମାନୁଥିଲେ। ଭଞ୍ଜବଂଶୀ ରାଜାମାନେ ନିଜର ଶାସନ କାଳରେ ବହୁ ନାରାୟଣ ଏବଂ
ରଘୁନାଥ ମନ୍ଦିର ପ୍ରତିଷ୍ଠା କରିଥିବା ପ୍ରମାଣ ରହିଛି । କିନ୍ତୁ ଭଞ୍ଜବଂଶୀ ରାଜା ରଣଭଞ୍ଜ ଓ ପରେ
ତାଙ୍କ ବଂଶଧର ମାନେ ସୂର୍ଯ୍ୟଙ୍କୁ ଇଷ୍ଟ ଦେବତା ରୂପେ ପୂଜନ କରୁଥିବା ବିଷୟ ବୌଦ୍ଧରୁ ପ୍ରାପ୍ତ ତାମ୍ର
ଶାସନ ପାତ୍ର ମାନଙ୍କରେ ବର୍ଣ୍ଣିତ ହୋଇଛି । ଉକ୍ତ ତାମ୍ର ଶାସନ ପତ୍ର ରେ ଲିଖିତ ସୂର୍ଯ୍ୟଙ୍କ ଶ୍ଳୋକ
ଭଞ୍ଜ ବଂଶୀ ମାନଙ୍କର ସୌର ଉପାସନା ର ପ୍ରମାଣ ଦିଏ ।
ଭଞ୍ଜରାଜା ମାନଙ୍କର ଏହିଭଳି ସୌର ଉପାସନା ପ୍ରୀତି ପରବର୍ତ୍ତୀ ଭଞ୍ଜବଂଶୀୟ ରାଜା ଶ୍ରୀକର
ଭଞ୍ଜଙ୍କୁ ସୂର୍ଯ୍ୟ ମନ୍ଦିରଣ ନିର୍ମାଣ ପାଇଁ ପ୍ରେରଣା ଯୋଗାଇ ଥିଲା । ଶ୍ରୀକର ଭଞ୍ଜ ଜଣେ ପ୍ରଜାବତ୍ସଳ
ଏବଂ ଧାର୍ମିକ ରାଜା ଥିଲେ । ସେ ନିଜ ରାଜ୍ୟରେ ଅନେକ ଧର୍ମପୀଠ ତଥା ଧର୍ମ ଅନୁଷ୍ଠାନମାନ ନିର୍ମାଣ
କରିଥିଲେ । ରାଜା ଶ୍ରୀକର ଭଞ୍ଜ ଦୁଇଥର ଘୁମୁସର ର ଶାସନ ଭାର ବହନ କରିଥିଲେ । ପ୍ରଥମେ 1799 ରୁ
1790 ଏବଂ ପରବର୍ତ୍ତୀ ସମୟରେ 1819 ରୁ 1832 । ନିଜର ଦ୍ୱିତୀୟ ଶାସନ କାଳ ମଧ୍ୟରେ ସେ ଅନେକ ଧର୍ମପୀଠ ନିର୍ମାଣ କରିଥିଲେ ସେଥି ମଧ୍ୟରୁ ବିରଞ୍ଚିନାରାୟଣ
ମନ୍ଦିର ଅନ୍ୟତମ । ବିରଞ୍ଚିନାରାୟଣ ମନ୍ଦିର ନିର୍ମାଣ ପଛରେ ଅନେକ ଐତିହାସିକ ତଥ୍ୟ ତଥା ଲୋକକଥା
ରହିଅଛି । ଇତିହାସ ପୃଷ୍ଠାକୁ ଓଲଟାଇଲେ ଆସ୍କା ଏବଂ ଭଞ୍ଜନଗର ରାସ୍ତା ମଧ୍ୟରେ ରହିଥିବା କେସରପଲି
ଠାରେ ଏକ ଧ୍ୱଂସପ୍ରାପ୍ତ ଗଡ ରହିଛି ଯାହା "ମାଳତିଗଡ" ନାମରେ ଖ୍ୟାତ ଥିଲା । ସେଠି ଶାସନ
କରୁଥିବା ସୋମବଂଶୀ କେଶରୀ ରାଜାଙ୍କ ସହ ଭଞ୍ଜବଂଶୀ ରାଜାଙ୍କ ଯୁଦ୍ଧ ଲାଗିରହୁଥିଲା । ଏହି କାରଣରୁ
ଦିନେ ମାଳତୀଗଡ଼ ବିଲୁପ୍ତ ପ୍ରାୟ ହୋଇଗଲା । ସେହିଗଡରେ ପୂଜା ପାଉଥିବା ସୋମବଂଶୀ ରାଜାଙ୍କର ଇଷ୍ଟଦେବ
ଆଦିତ୍ୟ ଦେବଙ୍କ ମନ୍ଦିର ଧ୍ୱଂସ ହୋଇ, ବିଗ୍ରହ ମାଟିରେ ପୋତି ହୋଇ ରହିଗଲେ ଅନେକ ବର୍ଷ । ଥରେ କିଛି
ଗଉଡ଼ ବାଳକ ଗାଈ ଚରେଇବାକୁ ଯାଇ ସେହି ସ୍ଥାନରେ ଖେଳୁଥିବା ସମୟରେ ଆଦିତ୍ୟ ଦେବଙ୍କ ପୋତିହୋଇଥିବା
ବିଗ୍ରହରେ ଦଣ୍ଡପ୍ରହାରରୁ ରକ୍ତ ନିର୍ଗତ ହୋଇଥିଲା ଏବଂ ଏହି ଘଟଣା ରାଜା ଶ୍ରୀକର ଭଞ୍ଜ ଙ୍କ ନିକଟରେ
ପହଞ୍ଚି ଥିଲା। ଠିକ୍ ସେହି ସମୟରେ ମଧ୍ୟ ରାଜା ଶ୍ରୀକରଭଞ୍ଜ ଙ୍କ ସ୍ୱପ୍ନାଦେଶ ହୋଇଥିଲା "ରାଜା
ମୁଁ ମାଳତୀ ଗଡର ଧ୍ୱଂସ ଅବସ୍ଥିତି ମଧ୍ୟରେ ମୃତିକାରେ ଅପୂଜ୍ୟ ଏବଂ ପୋତି ହୋଇ ରହିଛି...... ମୋତେ
ଉଦ୍ଧାର କରି ମୋ ପାଇଁ ମନ୍ଦିରନିର୍ମାଣ କର ।"
ଖବର ପାଇବା ପରେ ତତ୍କ୍ଷଣାତ ରାଜା
ଶ୍ରୀକର ଭଞ୍ଜ ମାଳତୀଗଡ଼ ରୁ ଆଦିତ୍ୟ ଦେବଙ୍କୁ ଉଦ୍ଧାର କରି ବହୁ ପଟୁଆର କରି ବୁଗୁଡା ଅଣାଇ ଥିଲେ ଏବଂ ସୁନ୍ଦର ମଣ୍ଡପ
ନିର୍ମାଣ କରି ସେଥିରେ ପ୍ରତିଷ୍ଠିତ କରାଇଥିଲେ । ଗଙ୍ଗାପାଣି ମହାପାତ୍ରଙ୍କ ଦ୍ଵାରା ଲିଖିତ ତାଳପତ୍ର
ପୋଥି "ଭଞ୍ଜ ବଂଶାବଳି" ପ୍ରକାରେ
1822 ମସିହା ଭାଦ୍ରବ କୃଷ୍ଣ ଦଶମୀ ଦିନ ଆଦିତ୍ୟ ଦେବ ବୁଗୁଡ଼ାରେ ନିର୍ମିତ ମଣ୍ଡପରେ ବିଜେ ହୋଇଥିଲେ
। ବୁଗୁଡା ମଣ୍ଡପ ରେ ଶ୍ରୀ ଆଦିତ୍ୟ ଦେବଙ୍କୁ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ନାମରେ ନାମିତ କରାଯାଇଥିଲା
। ବିରଞ୍ଚିନାରାୟଣ ମନ୍ଦିରଟି କଳିଙ୍ଗ ମନ୍ଦିର ଶୈଳିରେ ନିର୍ମିତ ହୋଇନାହିଁ । ଏହାର ଶୈଳୀ କୁ ମଣ୍ଡପ
ବା ମଠ ଶୈଳୀ କୁହଯାଏ । କିନ୍ତୁ ମନ୍ଦିରର ଉପର ଭାଗଟି ପିଢ଼ା ଶୈଳୀ ମନ୍ଦିର ଭଳି ପରିଲକ୍ଷିତ ହୁଏ । ଏହା ପଶ୍ଚିମମୁଖ
ମନ୍ଦିର ଏହାର ପାଞ୍ଚ ଗୋଟି ଦଧୀ ନଉତି ରହିଅଛି
। ମୂଳ ମଣ୍ଡପଟି ସାତୋଟି ଭାଗରେ ବିଭକ୍ତ ହୋଇଛି । ପ୍ରଥମ ଭାଗଟିକୁ ଭଦ୍ର କୁହାଯାଏ। ଏହାର ପୂର୍ବକୁ
ଚନ୍ଦନ ବଖରା ଏବଂ ପୁଣି ପୂର୍ବ ଦିଗକୁ ଗର୍ଭଗୃହ ରହିଛି ଯେଉଁଠାରେ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ
ପୂଜା ପାଉଛନ୍ତି । ଚନ୍ଦନ ବଖରାର ଉତ୍ତରକୁ ଯଥାକ୍ରମେ ଭଣ୍ଡାର ଏବଂ ଗନ୍ତାଘର ବା ଅସ୍ତ୍ରାଗାର ରହିଥିବା
ବେଳେ ଦକ୍ଷିଣ ଦିଗରେ ମଣୋହି ଏବଂ ଶ୍ରୀ ରଘୁନାଥ ଙ୍କ ମନ୍ଦିର ରହିଛି । ଶ୍ରୀ ରଘୁନାଥ ଙ୍କ ମନ୍ଦିରଟି
ପୂର୍ବମୁଖ ରହିଛି । ମନ୍ଦିରର ଭଦ୍ର ଭାଗର ଠିକ୍ ସମ୍ମୁଖରେ ଦର୍ଶନ ମଣ୍ଡପ ରହିଛି । ଏବଂ ତତସଂଲଗ୍ନ
ଏକ ଯଜ୍ଞ ମଣ୍ଡପ ରହିଛି । ମନ୍ଦିର ଚତୁ8ପାର୍ଶ୍ଵ ରେ ସୁଉଚ୍ଚ ପ୍ରାଚୀର ସହ ପଶ୍ଚିମ ପଟକୁ ମୁଖ୍ୟ ପ୍ରବେଶ ପଥ ରହିଛି
। ଏହି ପ୍ରବେଶ ଦ୍ଵାରର ସାମ୍ନାରେ 20 ଫୁଟ ଉଚ୍ଚର ଅରୁଣ ସ୍ତମ୍ଭ ରହିଛି । ଯେଉଁଥିରେ ଅରୁଣ ପୂର୍ବ
ଦିଗକୁ ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମହାପ୍ରଭୁଙ୍କୁ ହାତଯୋଡି ପ୍ରଣାମ କରୁଥିବା ଅବସ୍ଥାରେ ରହିଛନ୍ତି
। ଚତୁଃପାର୍ଶ୍ବରେ ଥିବା ପ୍ରାଚୀରଦେବୀ ଭଗ୍ନପ୍ରାୟ ଅବସ୍ଥାରେ ରହିଛନ୍ତି ତେଣୁ ସେମାନଙ୍କୁ ଚିହ୍ନଟ
କରିହେଉନାହିଁ । ମନ୍ଦିର ପରିବେଶ ମଧ୍ୟରେ ଉତ୍ତରକୁ ଏକ ସୁନ୍ଦର ବାମ୍ଫି ରହିଛି, ସେଇ ବାମ୍ଫି ର
ପାଣି ଠାକୁରଙ୍କ ରୋଷେଇ କର୍ମରେ ନିଯୋଗ ହେଉଛି । ବାମ୍ଫି କୁ ଲାଗି ରାଜା ଶ୍ରୀକର ଭଞ୍ଜ ଏବଂ ମହନ୍ତ
ମାନଙ୍କ ମୂର୍ତ୍ତି ରହିଛି । ସେହିଭଳି ଦକ୍ଷିଣ ଦିଗରେ ସଂଗ୍ରହାଳୟ, ମହନ୍ତ କୋଠରୀ ଓ ଅଭ୍ୟର୍ଥନା
ଗୃହ ରହିଥିବା ବେଳେ ପୂର୍ବଦିଗରେ ରୋଷଗୃହ
ରହିଅଛି । ମନ୍ଦିରଟି ଏକ ରଥ ସଦୃଶ୍ୟ ନିର୍ମିତ ହୋଇଥିବା ବେଳେ ଦକ୍ଷିଣ ପଟରେ ଏକମାତ୍ର ଚକ
ଅର୍ଦ୍ଧପୋତା ହୋଇ ରହିଛି । ମନ୍ଦିରର ଭଦ୍ର ଭାଗ ଆଉ ଦର୍ଶନ ସ୍ଥଳୀ ମଧ୍ୟରେ ସାରଥୀ ଅରୁଣ ଙ୍କ ସହ
ସାତଗୋଟି ଧାବମାନ ଘୋଡା ରହିଛି,
ଯାହା ବଉଳ ମଳିଆ ପ୍ରସ୍ତରରେ ନିର୍ମିତ । ମନ୍ଦିର ଛାତ ଟି ସମ୍ପୂର୍ଣ୍ଣ କାଷ୍ଠ ରେ ନିର୍ମିତ ହୋଇ
ଥିବା ବେଳେ ଏହାର ଉପର ଭାଗକୁ ତାମ୍ର ପଟିଦ୍ଵାରା ଆଚ୍ଛାଦିତ କରା ଯାଇଅଛି । ମନ୍ଦିର ମଧ୍ୟରେ ରହିଛି
48 ଗୋଟି ସ୍ତମ୍ଭ, ସେଥିମଧ୍ୟରୁ 16 ଗୋଟି ସ୍ତମ୍ଭ ମନ୍ଦିର କାନ୍ଥ ମଧ୍ୟରେ ରହିଥିବା ବେଳେ 32 ଟି
ସ୍ତମ୍ଭ ଚତୁ8ପାର୍ଶ୍ଵ ବାରଣ୍ଡା ମଧ୍ୟରେ ରହିଛି ।
ବଉଳମାଳିଆ ପ୍ରସ୍ତର ନିର୍ମିତ ଏହି ସ୍ତମ୍ଭ ଗୁଡିକର ଉପର ଭାଗଟି କାଷ୍ଠ କାରୁକାର୍ଯ୍ୟ ରେ ପୂର୍ଣ୍ଣ
। ସାଧୁ, ନର୍ତ୍ତକୀ, ଫୁଲ, ଶିକାରୀ, ପକ୍ଷୀ, ସିଂହ, ହରିଣ, କୁକୁର, ଗଛ, ଡାଳ ସହ ପ୍ରତିସ୍ତମ୍ଭରେ
ପ୍ରକୃତି ଓ ମାନବ ସମାଜର ପ୍ରତିବିମ୍ବିତ ହେଉଛି । ମନ୍ଦିର ପଶ୍ଚିମ କାନ୍ଥର ଉତ୍ତର ପଟରେ ଏକମାତ୍ର
ଝରକା ରହିଛି ଯାହାକୁ "କୃଷ୍ଣବଳରାମ ପଞ୍ଜରା" କୁହାଯାଏ । ଏହି ଝରକାଟିରେ କୃଷ୍ଣ ବଳରାମ
ଙ୍କ ସୁନ୍ଦର ତ୍ରିଭଙ୍ଗୀ ଠାଣି କାରୁକାର୍ଯ୍ୟ ଖୋଦିତ ହୋଇଛି । ଯେଉଁଥିରେ ଗାଈ ବାଛୁରୀ ସହ ଗପ ବାଳକ ଶୋଭା ପାଉଛନ୍ତି। ଭଦ୍ର ଭାଗର କାଷ୍ଠ କାରୁକାର୍ଯ୍ୟ
ପୂର୍ଣ୍ଣ ଛାତଟି ଅତ୍ୟନ୍ତ ଆକର୍ଷଣୀୟ । ଏହାର ମଧ୍ୟ ଭାଗରେ ଝୁଲାୟମାନ ଅବସ୍ଥାରେ ରହିଥିବା “ଫୁଲପଣସା” ରେ ଖୋଦିତ କୃଷ୍ଣଗୋପୀ ଙ୍କ ନୃତ୍ୟ ଅତ୍ୟନ୍ତ
ମନଲୋଭାକର । “ଫୁଲପଣସା”ର ଚାରିପଟେ ରହିଅଛି ଚାରିଗୋଟି “ରାହୁମୁଖା” । ଅନେକ ପଦ୍ମଫୁଲର କାରୁକାର୍ଯ୍ୟ
ରେ ଅଳଂକୃତ ହୋଇଥିବା “ଭଦ୍ର” ଭାଗର
ଛାତଟି ସମଗ୍ର ମନ୍ଦିରର ମୁଖ୍ୟ ଆକର୍ଷଣ । ଏହାର ଦକ୍ଷିଣ ଦିଗରେ ଗୋପିକୃଷ୍ଣଙ୍କ ନୃତ୍ୟରତ ଦୃଶ୍ୟ
ସହ ଦଶ-ଦିଗପାଳ ଙ୍କ ମୂର୍ତ୍ତି ଖୋଦିତ ହୋଇ ଥିବା ବେଳେ ଉତ୍ତର ଦିଗରେ ଗୋପିକୃଷ୍ଣ ସହ ଦଶ-ମହାବିଦ୍ୟା
ଙ୍କ ଆକର୍ଷଣୀୟ କାରୁକାର୍ଯ୍ୟ ନିର୍ମିତ ହୋଇଛି ଏବଂ ପଶ୍ଚିମ ଦିଗରେ ଗୋପିକୃଷ୍ଣ ସହ ନବଗ୍ରହ, ଶଙ୍ଖ
ନିଧି, ପଦ୍ମନିଧୀ ଓ ଶ୍ରୀକର ଭଞ୍ଜ ଙ୍କ ମୂର୍ତ୍ତି ଖୋଦିତ ହୋଇଛି । ଚନ୍ଦନ ବଖରା ର ଉପର ଭାଗରେ ରାମାୟଣର
କାହାଣୀ କାଷ୍ଠ ଖୋଦେଇ ମାଧ୍ୟମରେ ପ୍ରଦର୍ଶିତ ହୋଇଛି । ପୁତ୍ରୀଷ୍ଟି ଯଜ୍ଞ ଠାରୁ ଆରମ୍ଭ କରି ରାମାଭିଷେକ
ପର୍ଯ୍ୟନ୍ତ ପ୍ରତେକ ବିଷୟବସ୍ତୁକୁ ଛୁଞ୍ଚିମୁନ
ଖୋଦେଇ ହେଲାଭଳି କାରୁକାର୍ଯ୍ୟ କରାଯାଇଛି । ଗର୍ଭଗୃହର ମୁଖ୍ୟ ପ୍ରବେଶ ଦ୍ଵାର ସମ୍ପୂର୍ଣ୍ଣ କାଷ୍ଠ
ଖୋଦେଇ ହୋଇଛି । ଏଥିରେ ଦଶ ଅବତାର, ଅଷ୍ଟବସୁ, ଦଶଦିଗପାଳ, ଦଣ୍ଡପିଙ୍ଗଳ, ମାଠର, ରାମନୁଜାଚାର୍ଯ୍ୟ,
ମାଧବାଚାର୍ଯ୍ୟ, ଏବଂ ତୋରଣ-ଲକ୍ଷ୍ମୀ ଖୋଦିତ ହୋଇଛନ୍ତି । ଏହି ପ୍ରବେଶ ପଟର କବାଟରେ ପରାସର, ଜରତକାରୁ,
ଲକ୍ଷ୍ମୀନାରାୟଣ, ହୟଗ୍ରୀବ, ନାରଦମୁନି, ବଳରାମ, ଶିବ-ପାର୍ବତୀ, ବ୍ୟାସ, ବ୍ରହ୍ମା, ବଶିଷ୍ଠ, ସଡ଼ଭୁଜ
ଗୌରାଙ୍ଗ, ଅନନ୍ତଶୟନ, ହରିହର, ଗଜ-ଉଧାରଣ ଓ ବଳରାମ ଙ୍କ ଗ୍ରାଳମ୍ବରୀ ଖୋଦିତ ହୋଇଛି । ମଣୋହି ବଖରା
ଏବଂ ଭଣ୍ଡାର ଗୃହ ମଧ୍ୟରେ ଥିବା ଦ୍ଵାରପଥ ରେ ରାଧାକୃଷ୍ଣ, ପଦ୍ମପାଖୁଡା, ରାହୁମୁଖା, ଲକ୍ଷ୍ମୀନାରାୟଣ
ଙ୍କ ମୂର୍ତ୍ତି ଖୋଦିତ ହୋଇଛି । ଛାତର ଉପରିଭାଗରୁ ସ୍ତମ୍ଭ ମଧ୍ୟରେ ସଂଯୋଗୀତ ସମସ୍ତ କାଷ୍ଠ ଦୁଲାରେ
ସୌନ୍ଦର୍ଯ୍ୟ ପୂର୍ଣ୍ଣ ନର୍ତ୍ତକୀ,
ଡାଳ ମାଳିନୀ, ଅଳସିକନ୍ୟା, ଭୈରବ-ଭୈରବୀ, ମୈଥୁନ, ହାତୀ, ମୟୁର, ଗଜସିଂହ, ଗଜବିଡାଳ, ନରବିଡାଳ,
ଗଜକ୍ରାନ୍ତି, ଓ ମାଛ ଖୋଦିତ ହୋଇଛି । ପ୍ରସ୍ତର ସ୍ତମ୍ଭ ଓ ଦୁଲାକୁ ଢେରା ଦେଉଥିବା କାଷ୍ଠ ଖଣ୍ଡରେ
ଗଜସିଂହ, ଗଜବିଡାଳ, ନର୍ତ୍ତକୀ, ବାଘ, ମେଣ୍ଢା, ହରିଣ ଓ ସାଧୁ ଙ୍କ ମୂର୍ତ୍ତି ଖୋଦିତ ହୋଇଛି । ଛାତର
ଚତୁ8ପାର୍ଶ୍ଵରେ ଏକସତରୁ ଉର୍ଦ୍ଧ୍ଵ
ଦେବଦେବୀଙ୍କ ମୂର୍ତ୍ତି ସହ, ହାତୀ ,ମାଙ୍କଡ଼, ରାହୁମୁଖା, କର୍ଣସିଂହ, ସାଧୁ, ନରସିଂଘାୟୀ, ଭୈରବାୟୀ
ଖୋଦିତ ହୋଇଛି । ଏହି ସମସ୍ତ କାଷ୍ଠ କରୁକାର୍ଯ୍ୟ ନିମନ୍ତେ ଶାଳ ଏବଂ ଗମ୍ଭାରୀ କାଠର ବ୍ୟବହାର ହୋଇଛି
। ଏହି କରୁକାର୍ଯ୍ୟ ସମୂହ ଉତ୍କଲୀୟ ସ୍ଥାପତ୍ୟ କଳା ବିସ୍ମୟ ଅଟେ ।
ମନ୍ଦିର
କାନ୍ଥରେ ରହିଥିବା ଭିତ୍ତିଚିତ୍ର ମନ୍ଦିରର ଅନ୍ୟତମ ଆକର୍ଷଣ । ସମୟଚକ୍ରରେ ପରିବେଶ ଚାପରେ ନଷ୍ଟ
ହୋଇ ଆସୁଥିବା ଏହି ସମସ୍ତ ଭିତ୍ତିଚିତ୍ର କୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ ତଥାପି ଦୃଶ୍ୟମାନ
ହେଉଥିବା ଅଧିକାଂଶ ଚିତ୍ର ସବୁ ରାମାୟଣ ତଥା କୃଷ୍ଣଲୀଳା ସହ ଆମ ଦେବଦେବୀ ଙ୍କ ପ୍ରତିବିମ୍ବ । ମନ୍ଦିର
ଉତ୍ତର ଦିଗରେ ଥିବା କାନ୍ଥରେ ପୁରୀ ଶଙ୍ଖକ୍ଷେତ୍ର ମାନଚିତ୍ର ଅଙ୍କିତ ହୋଇଛି ଯାହା ସମ୍ପୂର୍ଣ୍ଣ
ଦୃଶ୍ୟମାନ ହେଉନାହିଁ। ଦକ୍ଷିଣ ଦିଗ କାନ୍ଥରେ ଅଙ୍କିତ ଚିତ୍ର ରାମରାବଣ ଯୁଦ୍ଧର ଦୃଶ୍ୟ ଚିତ୍ରକରର
କଳା ଦକ୍ଷତାକୁ ପ୍ରଦର୍ଶନ କରୁଛି । ମନ୍ଦିର ପଛପଟ କାନ୍ଥରେ, ସୀତାଙ୍କୁ ଗେରୁଟିକା ପ୍ରଦାନ, ରାମ
ଲକ୍ଷ୍ମଣଙ୍କ ବାନର, ଜାମ୍ବଵାନ ଯୋଦ୍ଧାଙ୍କୁ ଉପଦେଶ ପ୍ରଦାନ, ଶିବଧନୁ ଭଗ୍ନ, ପୁତ୍ରିଷ୍ଟି ଯଜ୍ଞ,
ସୀତା ସ୍ୱୟଂବର, ସାତତାଳ ସର ବିଧ, ଦୁନ୍ଦୁରୀ ଅସ୍ତି, ହୟଗ୍ରୀବ, ଜଗନ୍ନାଥ,ଏବଂ ରାମଲୀଳା ର ଅନେକ
କାହାଣୀ ଚିତ୍ରିତ ହୋଇଛି । ବାନର ମାନଙ୍କ ସେତୁବନ୍ଧ ନିମନ୍ତେ ପଥର ବୋହୁଥିବା ଦୃଶ୍ୟ ସତରେ ଜୀବନ୍ତ
ଭଳି ମନ ହୁଏ । ପଶ୍ଚିମ ଦିଗର ଉତ୍ତର ପଟ କାନ୍ଥରେ “କୃଷ୍ଣବଳରାମ ପଂଜରା” ଠାରେ କୃଷ୍ଣ ଲୀଳା ଚିତ୍ରିତ
ହୋଇଛି । ବିରଞ୍ଚିନାରାୟଣ ମନ୍ଦିରରେ ଅଙ୍କିତ ଭିତ୍ତି ଚିତ୍ର ହେଉ କିମ୍ବା କାଷ୍ଠ ଖୋଦେଇ କାରୁକାର୍ଯ୍ୟ
ହେଉ, ଏହା ନିଶ୍ଚିତ ରୂପେ ଉତ୍କଳୀୟ କଳା ବିସ୍ମୟ ।
ମନ୍ଦିରର ଗର୍ଭଗୃହରେ, ଅବଲୁପ୍ତ ମାଳତିଗଡ଼ରୁ ଅଣାଯାଇଥିବା
ଆଦିତ୍ୟ ଦେବ, ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ଙ୍କ ନାମରେ ପୂଜିତ ହେଉଛନ୍ତି । ଏହି ମୂର୍ତ୍ତିଟି କଳା
ମୁଗୁନି ପ୍ରସ୍ତର ରେ ନିର୍ମିତ । ମୂର୍ତ୍ତୀର ଦୁଇ ହାତରେ ଦୁଇ ଗୋଟି ପଦ୍ମ ଫୁଲ ରହିଛି । ଏହାର ଉଚ୍ଚତା
ଛଅ ଫୁଟ। ଏହି ମୂର୍ତ୍ତି ସହିତ ଦୁଇଗୋଟି ଅପସରା, ସାରଥୀ ଅରୁଣ, ସାତଗୋଟି ଘୋଡା, ଛାୟା ଦେବୀ, ମାଠର
ଏବଂ ଦଣ୍ଡପିଙ୍ଗଳ ସଂଯୁକ୍ତ ହୋଇ ରହିଛନ୍ତି । ଏହା ସହିତ ଏହି ମୂର୍ତ୍ତିର ପ୍ରତିକୃତି କାଷ୍ଠ ଏବଂ
ପିତଳରେ କ୍ଷୁଦ୍ର ଆକାରରେ ନିର୍ମିତ ହୋଇ ଏହି ଗର୍ଭଗୃହରେ ସ୍ଥାନିତ ହୋଇଛି । ଗର୍ଭ ଗୃହର ଚତୁ8ପାର୍ଶ୍ୱରେ
ପାର୍ଶ୍ୱଦେବତା ରୂପରେ ବିଶ୍ଵବ୍ୟାସକାୟ, ନାଟ୍ୟଶାୟ ଓ ମାର୍କଣ୍ଡ-ଭୈରବ ସ୍ଥାପିତ ହୋଇଛନ୍ତି । ପ୍ରତ୍ୟେକ
ଦିନ ଠାକୁର ଅନ୍ନ ଭୋଗ ଓ ରାଜଭୋଗ ଦ୍ଵାରା ଆପ୍ୟାୟିତ ହୁଅନ୍ତି ଏବଂ ପ୍ରତ୍ୟେକ ଗୁରୁବାର ଓ ରବିବାର
ଦିନ ଖିରି ପୁଳି ଭୋଗ ପ୍ରଦାନ ହୁଏ । ପର୍ବ ପର୍ବାଣୀ ମଧ୍ୟରେ ଏହି ମନ୍ଦିର ଦୁଇଗୋଟି ମୁଖ୍ୟ ପର୍ବ ହେଲା ତିଳସପ୍ତମୀ ଏବଂ ଶାମ୍ବଦଶମୀ
। ତିଳ ସପ୍ତମୀ ରେ ଦାରୁବିଗ୍ରହ ରଥରେ ବସି ନଗର ପରିଭ୍ରମଣ କରନ୍ତି। ରାଜଶ୍ରୀ ଶ୍ରୀକର ଭଞ୍ଜଙ୍କ
ପରେ ମହନ୍ତ ଶ୍ରୀ ଗୋବିନ୍ଦ ଦାଶ, ଶ୍ରୀ ରାମମୋହନ ଦାଶ, ଶ୍ରୀ ରଘୁବର ରାମାନୁଜ ଦାଶ ଏବଂ ବର୍ତ୍ତମାନ
ଶ୍ରୀ ଭକ୍ତରାମ ଦାଶ ମଠ ତଥା ମନ୍ଦିରକୁ ସୁଚାରୁରୂପେ ଚଳାଇଆସିଛନ୍ତି । ଜରାଜୀର୍ଣ୍ଣ ହୋଇ ଆସୁଥିବା
ମନ୍ଦିରର କଳାକୃତୀ କୁ ଶ୍ରୀ ଭକ୍ତରାମ ଦାଶ ଯଥା ସମ୍ଭବ ସଂରକ୍ଷିତ କରିବାକୁ ଚେଷ୍ଟିତ । ଆବଶ୍ୟକ
ଅର୍ଥ ଅଭାବରୁ ରକ୍ଷଣାବେକ୍ଷଣ ତଥା ପର୍ବ ପର୍ବାଣୀ ପୂର୍ବ ପରି ଅନୁଷ୍ଠିତ ହୋଇପାରୁନାହିଁ। ସରକାରଙ୍କର
ଦୃଷ୍ଟି ପଡ଼ି ଯଦି ଏହି ମନ୍ଦିର ର ନବୀନକରଣ କରାଯାଇ ପାରନ୍ତା ତାହେଲେ ଉତ୍କଳୀୟ କଳାର ବିସ୍ମୟ ଆଉ
କିଛି ମସିହା ପାଇଁ ଭବିଷ୍ୟତର ଜନସମାଜରେ ଆମ ଗୌରବର ମୂକସାକ୍ଷୀ ହୋଇପାରନ୍ତା ।